ଭଦ୍ରକ, ୨୪ ଅଗଷ୍ଟ (ହି.ସ.) - ଯେଉଁ ହାତରେ କଲମ ବହି ଧରିବା କଥା ସେହି ହାତରେ ପ୍ଲାକାର୍ଡ ଧରି ଶିକ୍ଷକ ମାଗୁଛନ୍ତି ଛାତ୍ର ଛାତ୍ରୀ। ଯେଉଁ ମୁହଁ ରେ ପାଠ କହିବା କଥା ସେ ମୁହଁରେ ଶିକ୍ଷକ ଦିଅ ଶିକ୍ଷା ବଂଚାଓ ନାରା ଦେଉଛନ୍ତି ଛାତ୍ର ଛାତ୍ରୀ। ଏ ହେଉଛି ଆମ ଶିକ୍ଷା ବ୍ୟବସ୍ଥାର କରୁଣ ଚିତ୍ର। ସ୍କୁଲ ରେ ନାହାନ୍ତି ଶିକ୍ଷକ। ସ୍କୁଲ ଆଗରେ ଗେଟ ରେ ତାଲା ପକାଇ ବସିଲେ ଛାତ୍ର ଛାତ୍ରୀ। ଭଦ୍ରକ ବ୍ଲକ ତଲାଙ୍ଗ ଗ୍ରାମରେ ଥିବା ତଳାଙ୍ଗ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକ ଅଭାବ ନେଇ ଦୀର୍ଘ ଦିନରୁ ଦାବୀ କରି ଆସୁଥିଲେବି ଶିକ୍ଷକ ନିଯୁକ୍ତି ମିଳୁନି। ଆଜି ବାଧ୍ୟ ହୋଇ ସ୍କୁଲରେ ତାଲା ପକାଇ ବସିଲେ ପିଲା। ଦଶମ ଶ୍ରେଣୀ ରେ ୫୨ ଜଣ ଛାତ୍ର ଛାତ୍ରୀ ଥିବା ବେଳେ ମାତ୍ର ଦୁଇ ଜଣ ଶିକ୍ଷକ ରେ ଚାଲିଛି ପାଠ ପଢା। ଆଗକୁ ସେମିଷ୍ଟାର ଥିବାରୁ ପିଲାଙ୍କ ପାଠ ପଢା ଯାଉନଥିବାରୁ କେମିତି ପରୀକ୍ଷା ଦେବେ ବୋଲି ପ୍ରଶ୍ନ କରିଛନ୍ତି ପିଲା । ଗଣିତ, ବିଜ୍ଞାନ ଇଂରାଜୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ନାହାନ୍ତି। ପୂର୍ବରୁ ଅନେକ ଥର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଶିକ୍ଷକ ନିଯୁକ୍ତି ହୋଇପାରିଲା ନାହିଁ। ତେଣୁ ତୁରନ୍ତ ଶିକ୍ଷକ ନିଯୁକ୍ତି ଦେବାକୁ ଦାବୀ କରି ଏପରି ନିଷ୍ପତି ନେଇଥିବା କହିଛନ୍ତି ଅଭିଭାବକ। ଅନ୍ୟପଟେ ଧାରଣା ସ୍ଥଳ କୁ ବିଇଓ ଓ ଏବିଇଓ ଆସିଥିବା ବେଳେ ସମାଧାନ କରିବାରେ ବିଫଳ ହେବାରୁ ଉତ୍ୟକ୍ତ ଛାତ୍ର ଛାତ୍ରୀ ସ୍କୁଲ ଭିତରେ ତାଲା ପକାଇ ଅଟକ ରଖିଲେ। ଶିକ୍ଷକ ନିଯୁକ୍ତି ପ୍ରତିଶୃତି ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ଛାତ୍ର ଛାତ୍ରୀ। ଏହି ଘଟଣା ରେ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।ଜଣେ ବିଜ୍ଞାନ ଶିକ୍ଷୟତ୍ରୀ ଙ୍କୁ ତଳାଙ୍ଗ ସ୍କୁଲ ରେ ତତକ୍ଷଣାତ ନିଯୁକ୍ତି ଦେଇଛନ୍ତି।ବିଜ୍ଞାନ ଶିକ୍ଷୟତ୍ରୀ ଭାଗ୍ୟଶ୍ରୀ ବେହେରା ଙ୍କୁ ସପ୍ତାହରେ ତିନିଦିନ ତଳାଙ୍ଗ ସ୍କୁଲ ଆସିବାକୁ ନିର୍ଦେଶ ଦେଇଛନ୍ତି। ଜିଲ୍ଲା ଶିକ୍ଷାଧିକାରୀ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ



