ଝାରସୁଗୁଡ଼ା, 20 ଅଗଷ୍ଟ :ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ କିର୍ମିରା ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଦ୍ୟାଳୟର ସାମଗ୍ରିକ ବିକାଶ, ଶୈକ୍ଷିକ ଉନ୍ନତି ତଥା ଭିତ୍ତିଭୂମି ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯାଇ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚଳିତ ବର୍ଷ ସିବିଏସ୍ଇ ପରୀକ୍ଷାରେ ଶତପ୍ରତିଶତ ସଫଳତା ମିଳିଥିବାରୁ କମିଟି ପକ୍ଷରୁ ସନ୍ତୋଷ ପ୍ରକାଶ କରାଯାଇଥିଲା।
ଆଗାମୀ ଦିନରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର୍ଥୀଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ସ୍ୱତନ୍ତ୍ର କୋଚିଂ ବ୍ୟବସ୍ଥା ରଖିବାକୁ ନିଷ୍ପତ୍ତି ହୋଇଛି।ଛାତ୍ରଛାତ୍ରୀଙ୍କ ଇଂରାଜୀ ଭାଷା ଦକ୍ଷତା ବୃଦ୍ଧି ନିମନ୍ତେ ସପ୍ତାହକୁ ଅତିକମରେ ଚାରି ଦିନ ଇଂରାଜୀରେ ପ୍ରାର୍ଥନା ସଭା ପରିଚାଳନା ଏବଂ ଓଡ଼ିଆ ପାଠ୍ୟପୁସ୍ତକ ଉପଲବ୍ଧ ନହେବା ପର୍ଯ୍ୟନ୍ତ ପିଡିଏଫ୍ ମାଧ୍ୟମରେ ଫଟୋକପି ଯୋଗାଇଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ନୂତନ ହଷ୍ଟେଲ ନିର୍ମାଣ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବା ସହ ପୁରୁଣା ଛାତ୍ରାବାସର ମରାମତି କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଆଇଟିଡିଏ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଜ୍ଞାନ ଓ କମ୍ପ୍ୟୁଟର ପରୀକ୍ଷାଗାରକୁ କାର୍ଯ୍ୟକ୍ଷମ କରିବା, କ୍ୟାମ୍ପସରେ ସୌର ପ୍ୟାନେଲ ସଂଯୋଗ, ହାଇମାଷ୍ଟ ଲାଇଟ୍ ସ୍ଥାପନ, ନଳକୂପ ସହ ସବମର୍ସିବୁଲ ପମ୍ପ ଏବଂ ଉଚ୍ଚ କ୍ଷମତାସମ୍ପନ୍ନ ଜଳ ବିଶୋଧନ ଯନ୍ତ୍ର ଲଗାଇବାକୁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଡ୍ରେନେଜ୍ ମୁହଁରେ ଲୁହା ଜାଲି ବସାଇବା ଏବଂ ସାପ କାମୁଡ଼ା ସଚେତନତା ସୃଷ୍ଟି କରିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।
ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ପ୍ରାଥମିକତା ଦେଇ ନିୟମ ଅନୁଯାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଜଣେ ଡାକ୍ତର ନିଯୁକ୍ତ କରିବା ଏବଂ ବର୍ଷା ଦିନରେ ଚର୍ମରୋଗ ଭଳି ସଂକ୍ରାମକ ରୋଗରୁ ରକ୍ଷା ପାଇଁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ ଜିଲ୍ଲା ମଙ୍ଗଳ ଅଧିକାରୀ ଜୟଶ୍ରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ରାଧାକାନ୍ତ ଗଡ଼ତିଆ, ସିଡିଏମ୍ଓ, ପିଏ ଆଇଟିଡିଏ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ, କୁଚିଣ୍ଡା ଇଏମ୍ଆରଏସ୍ ଅଧ୍ୟକ୍ଷ ଏବଂ ଅଭିଭାବକ ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।



