ଭୁବନେଶ୍ୱର, ୨୪ ଅଗଷ୍ଟ (ହି.ସ) - ଆଜି ହେଉଛି ଅଗଷ୍ଟ ୨୪, ରକ୍ତତୀର୍ଥ ପାପଡ଼ାହାଣ୍ଡିର ଅମର ଶହୀଦମାନଙ୍କ ସ୍ମୃତି ଚାରଣର ଦିବସ ଶହୀଦ ସ୍ମୃତି ଦିବସ। ଆଜିର ଦିନରେ ପାପଡ଼ାହାଣ୍ଡିର ତୂରୀ ନଦୀ କୂଳରେ ଦେଶ ମାତୃକା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ ନବରଙ୍ଗପୁର ଜିଲ୍ଲା ମାଟିର ୧୯ଜଣ ବୀର ସନ୍ତାନ। ଆଜିର ଏ ଦିବସ କେବଳ ପାପଡ଼ାହାଣ୍ଡି ନୁହେଁ ସାରା ରାଜ୍ୟ ଓ ଦେଶ ପାଇଁ ଏକ ସ୍ମରଣୀୟ ଦିବସ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଶହୀଦ ସ୍ମୃତି ଦିବସ ପାଳନ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ଯୋଗ ଦେବା ସହ ପାପଡ଼ାହାଣ୍ଡିର ସେହି ସ୍ଥାନରେ ଥିବା ଶହୀଦ ମିନାରରେ ୧୯ଜଣ ପୁଣ୍ୟାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହିତ ମଶାଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।।
ମନ୍ତ୍ରୀ କହିଛନ୍ତି ମାଧବ ପ୍ରଧାନୀଙ୍କ ନେତୃତ୍ୱରେ ନବରଙ୍ଗପୁର ଜିଲ୍ଲାର ଶହ ଶହ ସଂଗ୍ରାମୀ ଇଂରେଜ ସରକାରଙ୍କ ବିରୋଧରେ ଶୋଭାଯାତ୍ରା କରି ଡାବୁଗାଁ ଥାନା ଅଭିମୁଖେ ଅଗ୍ରସର ହେଉଥିଲେ। ଏହି ଖବର ଇଂରେଜମାନେ ପାଇ ପାପଡ଼ାହାଣ୍ଡିର ତୂରୀ ନଦୀ କୂଳରେ ଗୁଳି ବର୍ଷା କରିଥିଲେ। ଯେଉଁଥିରେ ୧୯ଜଣ ବୀର ଶହୀଦ ହୋଇଥିଲେ। ଏ ବୀରତ୍ୱର ଗାଥା ଆଜିବି ଲିପିବଦ୍ଧ। ଏ ଇତିହାସକୁ ମନେ ରଖିବା ଓ ଏହାକୁ ସବୁଦିନ ପାଇଁ ଜୀବିତ ରଖିବା ଏହି ଦିବସର ମୂଳ ଲକ୍ଷ୍ୟ। ଏହି ମହାନ ଦିବସରେ ନବରଙ୍ଗପୁର ଜିଲ୍ଲାର ସାଂସଦ, ବିଧାୟକଗଣ, ନେତୃବୃନ୍ଦ ତଥା ଶହ ଶହ ଜନତା ସାମିଲ ହୋଇ ପୁଣ୍ୟାତ୍ମାମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା



