ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଦାବି
ଭୁବନେଶ୍ୱର, ୧୮ ଅଗଷ୍ଟ (ହି.ସ.)- ଏମ୍ଏମ୍ଡିଆର ବିଲ୍-୨୦୨୬କୁ ତୁରନ୍ତ ପ୍ରତ୍ୟାହାର ଦାବିରେ ରାଜ୍ୟର ବିଭିନ୍ନ ବିରୋଧୀ ଦଳ ଐକ୍ୟବଦ୍ଧ ହୋଇଛନ୍ତି। ମଙ୍ଗଳବାର କଂଗ୍ରେସ ଭବନରେ ଇଣ୍ଡିଆ ବ୍ଲକ୍ ର ବିଭିନ୍ନ ଦଳର ରାଜ୍ୟ ନେତାମାନେ ଏକାଠି ହୋଇ ରାଜ୍ୟର ସାମ୍ପ୍ରତିକ ଜନସମସ୍ୟା ଓ ସରକାରଙ୍କ ନୀତି ଉପରେ ଆଲୋଚନା କରିଥିଲେ।
ବୈଠକରେ ଏମଏମ୍ଡିଆର୍ ବିଲ୍ କୁ ଓଡ଼ିଶାର ସ୍ୱାର୍ଥବିରୋଧୀ ବୋଲି ଅଭିହିତ କରାଯାଇ ଏହା ପ୍ରତ୍ୟାହାର ପାଇଁ ଦାବି ହୋଇଛି। ବିଲ୍ ଆଇନରେ ପରିଣତ ହେଲେ ରାଜ୍ୟର ଖଣିଜ ସମ୍ପଦ, ରାଜସ୍ୱ ଅଧିକାର ଓ ସଂଘୀୟ ଅଧିକାର ପ୍ରଭାବିତ ହେବ ବୋଲି ନେତାମାନେ ଅଭିଯୋଗ କରିଛନ୍ତି। ଏଥିପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବା ସହ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେବାକୁ ନିଷ୍ପତି ହୋଇଛି। ଦାବି ପୂରଣ ନହେଲେ ଓଡ଼ିଶା ବନ୍ଦ ଓ ଆର୍ôଥକ ଅବରୋଧ ଭଳି ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।
ଏହାସହ ପ୍ରାଥମିକ ପାଠ୍ୟପୁସ୍ତକରେ ତ୍ରୁଟି ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। ଆନ୍ଦୋଳନରତ ଶିକ୍ଷକଙ୍କ ଦାବିକୁ ମଧ୍ୟ ଦଳଗୁଡ଼ିକ ସମର୍ଥନ କରିଛନ୍ତି।
ବନ୍ୟା ବିପନ୍ନଙ୍କ ପାଇଁ ଘୋଷିତ ସହାୟତା ଅପର୍ଯ୍ୟାପ୍ତ ବୋଲି ଦର୍ଶାଇ ପ୍ରକୃତ କ୍ଷୟକ୍ଷତିର ଆକଳନ କରି ଚାଷୀ ଓ ବିପନ୍ନଙ୍କୁ ଯଥୋଚିତ କ୍ଷତିପୂରଣ ଦେବାକୁ ଦାବି ହୋଇଛି। ବେକାରୀ, ମୂଲ୍ୟବୃଦ୍ଧି, କୃଷକ-ଶ୍ରମିକ ସମସ୍ୟା, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ପ୍ରସଙ୍ଗରେ ରାଜ୍ୟବ୍ୟାପୀ ମିଳିତ ଆନ୍ଦୋଳନ ଗଢ଼ିବାକୁ ନେତାମାନେ ସଂକଳ୍ପ ନେଇଛନ୍ତି। ୨୦ ଅଗଷ୍ଟ ପରେ ପୁନର୍ବାର ବୈଠକ କରି ପରବର୍ତୀ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରାଯିବ।
ବୈଠକରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ, ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ସିପିଆଇ ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ କୁମାର ମିଶ୍ର, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ଏନ୍?ସିପି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ ଓ ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ପ୍ରତାପ ବାରିକଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ସନ୍ତୋଷ ସିଂ ସାଲୁଜା, ଅରବିନ୍ଦ ଦାସ, ଯମେଶ୍ୱର ସାମନ୍ତରାୟ, ଜୟନ୍ତ ଦାସ, ବଦ୍ରୀ ନାରାୟଣ ଦାଶ ଏବଂ ମହେନ୍ଦ୍ର ପରିଡ଼ା ପ୍ରମୁଖ ବିଭିନ୍ନ ଦଳର ନେତାମାନେ ଯୋଗଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା



