ମାଲକାନଗିରି, ୨୪ ଅଗଷ୍ଟ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ସଦରରେ ଶିକ୍ଷାବିଭାଗ ଅଧିନରେ ଥିବା ଛାତ୍ରୀନିବାସରେ ଅବ୍ୟବସ୍ଥା ନେଇ ଅଭିଯୋଗ ସାମ୍ନାକୁ ଆସିଛି । ଛାତ୍ରୀନିବାସରେ ରହୁଥିବା ଅନ୍ତେବାସୀ ଛାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରି ସୋମବାର ଦିନ କାଲିମେଳା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓଙ୍କୁ ଅଭିଯୋଗ କରି ନ୍ୟାୟ ମାଗିଛନ୍ତି ।
ସେମାନଙ୍କ ଅଭିଯୋଗ ଅନୁସାରେ, ଛାତ୍ରୀନିବାସରେ ସେମାନଙ୍କୁ ଠିକ୍ ଭାବରେ ଖାଇବା ଦିଆଯାଉ ନାହିଁ । ପ୍ରାୟତଃ ନିମ୍ନମାନର ଖାଦ୍ୟ ଦିଆଯାଉଛି ଏବଂ ଅନେକ ସମୟରେ ଖାଇବା ମିଳୁନି । ଏନେଇ ବାରମ୍ବାର ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ କହିଲେ ମଧ୍ୟ କୌଣସି ସୁଧାର ଆସୁନାହିଁ । ବିଦ୍ୟାଳୟର ଜଣେ ଶିକ୍ଷକ ଶ୍ରୀ ସାହୁ ଛାତ୍ରୀମାନଙ୍କୁ ମାଡ଼ ମାରୁଛନ୍ତି ବୋଲି ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଛାତ୍ରୀମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଆଗାମୀ ଗଣେଶ ପୂଜା ପାଇଁ ସ୍କୁଲରେ ପ୍ରତ୍ୟେକ ଛାତ୍ରୀଙ୍କ ଠାରୁ ୧୦୦ ଟଙ୍କା ଲେଖାଏଁ ଚାନ୍ଦା ମଗାଯାଉଥିବା ବେଳେ ଆମେ ସମସ୍ତେ ଗରିବ ପରିବାରର ପିଲା, ଆମ ପାଇଁ ୧୦୦ ଟଙ୍କା ଦେବା ସମ୍ଭବ ନୁହେଁ ବୋଲି ଛାତ୍ରୀମାନେ କୋହଭରା କଣ୍ଠରେ କହିଛନ୍ତି । ଛାତ୍ରୀମାନଙ୍କ ଅଭିଯୋଗ ପାଇବା ପରେ କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର କର ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ।
ସେ ଏନେଇ ସୂଚନା ଦେଇ କହିଛନ୍ତି ଯେ, ହଷ୍ଟେଲର ସାମଗ୍ରିକ ସ୍ଥିତି ଓ ଖାଦ୍ୟର ମାନ ଯାଞ୍ଚ ପାଇଁ ୩ ଜଣିଆ ଅଧିକାରୀଙ୍କୁ ନେଇ ଏକ ତଦନ୍ତ କମିଟି ଗଠନ କରାଯିବ । କମିଟି ହଷ୍ଟେଲକୁ ଯାଇ ତଦନ୍ତ କରି ରିପୋର୍ଟ ଦେବ । ସେହିପରି ଶିକ୍ଷକ ମାଡ଼ ମାରିବା ଘଟଣା ଅତି ସମ୍ବେଦନଶୀଳ ହୋଇଥିବାରୁ ସେ ଏନେଇ ପୋଲିସକୁ ମଧ୍ୟ ସୂଚନା ଦେଇଛନ୍ତି ବୋଲି କହିଛନ୍ତି । ଏଥିସହ ସେ ନିଜେ ଆଗାମୀ ଦିନରେ ଛାତ୍ରୀନିବାସକୁ ଯାଇ ପରିସ୍ଥିତିର ସିଧାସଳଖ ଯାଞ୍ଚ କରିବେ ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଛାତ୍ରୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି



