ନୂଆପଡ଼ା, ୨୪ ଅଗଷ୍ଟ (ହି.ସ.)- ଆଗକୁ ରକ୍ଷା ବନ୍ଧନ ଥିବାକୁ ଖାଦ୍ୟ ଓ ନିରାପତ୍ତା ବିଭାଗ ପକ୍ଷରୁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରର ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଆଜି ଚଢଉ କରି ଯାଞ୍ଚ କରାଯାଇଥିଲା । ବିଭାଗୀୟ ଅଧିକାରୀ କୃଷ୍ଣପ୍ରିୟା ସାହୁଙ୍କ ନେତୃତ୍ୱରେ ଏହି ଚଢ଼ଉ ହୋଇଥିବା ବେଳେ ସହରର ମୋଟ ୧୨ଟି ହୋଟେଲ ଓ ରେଷ୍ଟୁରାଣ୍ଟ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ପ୍ରାୟ ୮ରୁ ୧୦ କିଲୋଗ୍ରାମ ବାସି ଖାଦ୍ୟ ମିଳିଥିଲା। ଏହି ଖାଦ୍ୟକୁ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ନଷ୍ଟ କରାଯାଇଥିଲା। ଏଥିସହ ଖାଦ୍ୟର ଗୁଣବତ୍ତା ଓ ନିରାପତ୍ତା ଯାଞ୍ଚ ପାଇଁ ରାସାୟନିକ ବିଶ୍ଳେଷଣ ନିମନ୍ତେ ୮ଟି ମିଠା ଓ ଖୋଆ ଦୋକାନରୁ ନମୁନା ସଂଗ୍ରହ କରାଯାଇଛି। ବିଭାଗୀୟ ନିୟମ ଉଲ୍ଲଂଘନ ଅଭିଯୋଗରେ ମୋଟ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି। ରକ୍ଷା ବନ୍ଧନ ସମୟରେ ଜନସାଧାରଣଙ୍କୁ ନିରାପଦ ଓ ଗୁଣବତ୍ତା ସମ୍ପନ୍ନ ଖାଦ୍ୟ ସାମଗ୍ରୀ ଯୋଗାଇଦେବା ଏହି ଯାଞ୍ଚର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଖାଦ୍ୟର ଗୁଣବତ୍ତା ଓ ସ୍ୱଚ୍ଛତା ନେଇ ଆଗାମୀ ଦିନରେ ମଧ୍ୟ ଏଭଳି ଯାଞ୍ଚ ଜାରି ରହିବ ବୋଲି ବିଭାଗ ସୂଚନା ଦେଇଛି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ



