
ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ବଡ଼ମାଲ ରେଞ୍ଜରେ ଦୁଇଟି ଦନ୍ତା ହାତୀଙ୍କ ତାଣ୍ଡବ ଲାଗିରହିବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଦୀର୍ଘ ମାସାଧିକ ସମୟ ବିଭିନ୍ନ ସମୟରେ ହାତୀଦ୍ୱୟ ଗାଁ ଗଣ୍ଡାରେ ପଶି ଲୋକଙ୍କ ଘରଦ୍ବାର ଭାଙ୍ଗିବା ସହ ଲୋକମାନଙ୍କୁ ଏକ ପ୍ରକାରର ଆତଙ୍କିତ କରାଇ ଆସୁଥିବା ଅଭିଯୋଗ ହୋଇଛି।
ଗତକାଲି ରାତିରେ ବଡ଼ମାଲ ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଗାଁ'ର ରଙ୍କ ମାଝୀଙ୍କ ଘରକୁ ଗୋଟିଏ ଦନ୍ତାହାତୀ ଭାଙ୍ଗି ଛାରଖାର କରି ଦେଇଥିବା ଅଭିଯୋଗ ହୋଇଛି । ଅବଶ୍ୟ ଭାଗ୍ୟ ଭଲ ପରିବାରର ୮ ଜଣ ଏହି ଘରେ ଶୋଇଥିବା ବେଳେ ହାତୀ ଆକ୍ରମଣରେ କେହି ମୃତାହତ ନ ହୋଇ ବର୍ତ୍ତି ଯାଇଥିଲେ। ଶ୍ରୀ ମାଝୀଙ୍କ ୩ ବଖରା ଆଜବେଷ୍ଟସ ଘର ସହ ଏକ ଛାତ ଘରକୁ ଏହି ହାତୀ ମାଟିରେ ମିଶାଇ ଦେଇଛନ୍ତି । କିଛି ଦିନ ପୂର୍ବରୁ ଗଡଗଡବାହାଲ ପଞ୍ଚାୟତର ଲକ୍ଷ୍ମୀଧର ବେହେରା ଓ କଣ୍ଟାପାଲ ପଞ୍ଚାୟତର
ଗଣେଶ ରଥ, ଛିଲୁ ସାହୁ ଓ ସତ୍ୟବାନ ପ୍ରଧାନଙ୍କ ଘର ମଧ୍ୟ ଭାଙ୍ଗି ଦେଇଥିବାର ସୂଚନା ମିଳିଛି। ବିଭିନ୍ନ ସମୟରେ ହାତୀ ଗାଁ ଗଣ୍ଡାରେ ପଶି ବ୍ୟାପକ ଭଙ୍ଗାରୁଜା କରୁଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ପୂର୍ବାଭାସ ଓ ସତର୍କ ସୂଚନା ନଦେବା ଅଞ୍ଚଳବାସୀଙ୍କୁ ତୀବ୍ର ଅସନ୍ତୋଷ କରାଇଛି । ସେହିପରି ହାତୀ ଉତ୍ପାତରେ ବ୍ୟାପକ କ୍ଷୟକ୍ଷତି ହେବାର ସୁଚନା ପାଇବା ପରେ ମଧ୍ୟ ବନ ବିଭାଗ ତ୍ୱରିତ ଘଟଣା ସ୍ଥଳରେ ପହଞ୍ଚିବା, କ୍ଷୟକ୍ଷତି ଆକଳନ ନକରିବା ଜନ ଅସନ୍ତୋଷର କାରଣ ପାଲଟିଛି । ବିଭିନ୍ନ ସମୟରେ ହାତୀ ଆକ୍ରମଣରେ ଘରଗୁଡ଼ିକ କ୍ଷତିଗ୍ରସ୍ତ ହେବା ଓ ବନ ବିଭାଗର ନିରବତାକୁ ଦେଖି ଏବେ ଗ୍ରାମବାସୀଙ୍କ ମଧ୍ୟରେ ଏକ ପ୍ରକାରର ଭୟର ବାତାବରଣ ସୃଷ୍ଟି ହୋଇଛି।
(ହି.ସ.)



