ଝାରସୁଗୁଡ଼ା, ୨୪ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଅନ୍ତର୍ଗତ ବେହେରାଗୁଡ଼ାରୁ ବନ୍ଧବାହାଲକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଥିବାରୁ ଯାତାୟାତ ବେଳେ ସାଧାରଣ ଲୋକଙ୍କ ସମେତ ଛାତ୍ରଛାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଏହି ରାସ୍ତା ଉପରେ ପାଖାପାଖି ୧୦ଟି ଗ୍ରାମପଞ୍ଚାୟତର ଲୋକେ ନିର୍ଭରଶୀଳ। ବିଶେଷକରି ଲଖନପୁର, ବାଘମୁଣ୍ଡା, ଭ୍ରମରଖୋଲ ଓ କଦମ୍ବଡ଼ିହି ପଞ୍ଚାୟତ ଅଞ୍ଚଳର ଲୋକମାନେ ସମ୍ବଲପୁର ଏବଂ ଇବ ଥର୍ମାଲ ଯିବା ପାଇଁ ଏହି ରାସ୍ତାକୁ ମୁଖ୍ୟ ମାଧ୍ୟମ ଭାବେ ବ୍ୟବହାର କରନ୍ତି। ସେହିପରି ବନ୍ଧବାହାଲ, ତେଲେନପାଲି, କୁସ୍ରାଲୋଇ, କୁମ୍ଭାରବନ୍ଧ ଓ ତିଲିଆ ପଞ୍ଚାୟତବାସୀ ଲଖନପୁର ବ୍ଲକ ଓ ତହସିଲ କାର୍ଯ୍ୟାଳୟକୁ ଆସିବା ପାଇଁ ଦୈନିକ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ରାସ୍ତାର ଦୁରବସ୍ଥା ଯୋଗୁଁ ଦୁଇଚକିଆ ଯାନ ଚାଳକଙ୍କ ପାଇଁ ବିଶେଷ ବିପଦ ସୃଷ୍ଟି ହୋଇଛି। ଗାତ ଏଡ଼ାଇ ଯିବା ସମୟରେ ଦୁର୍ଘଟଣାର ଆଶଙ୍କା ଲାଗି ରହୁଛି। ଏହା ସହିତ ରାସ୍ତାରେ ଯାତାୟାତ କରୁଥିବା ଛାତ୍ରଛାତ୍ରୀ ଓ ରୋଗୀମାନେ ମଧ୍ୟ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦା ବିରଞ୍ଚି ସାହୁ, ପିତାମ୍ବର ମିଶ୍ର, ଗୋପୀନାଥ ମାଝୀଙ୍କ ସମେତ ଅଞ୍ଚଳବାସୀ ରାସ୍ତାର ତୁରନ୍ତ ମରାମତି ଓ ପୁନରୁଦ୍ଧାର ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି।
ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ଏସଡିଓ ବନମାଳୀ ନାୟକଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା। ତୁରନ୍ତ ରାସ୍ତାର ପୁନରୁଦ୍ଧାର କରାନଗଲେ ଆଗାମୀ ଦିନରେ ଅଞ୍ଚଳବାସୀ ଜନଆନ୍ଦୋଳନକୁ ଓହ୍ଲାଇବାର ଆଶଙ୍କା ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ



