ମୁଖୀଗୁଡା୧୨ଅଗଷ୍ଟ - ନିଜ ଗାଁ କୁ ଯାଇପାରି ନଥିଲା ଆମ୍ବୁଲାନ୍ସ ଶେଷରେ ଶବକୁ ଖଟିଆରେ ୮ କିଲୋମିଟର ଦୂର ବୁହା ହୋଇ ନିଆ ଯାଇଥିଲା । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ପାଡେପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଟିଫାସ ଗାଁର ଶିବ ମାଝୀ ପରିବାର ପ୍ରତିପୋଷଣ ପାଇଁ ହାଇଦ୍ରାବାଦ ଯାଇଥିଲେ ସେଠାରେ ଶିବ ମାଝୀଙ୍କ ମୃତ୍ୟୁ ହୋଇଥିଲା ।
ମୃତଦେହ ଗାଁକୁ ଅଣାଯାଇଥିଲା।ମୃତଦେହ ନେଇ ଆସିଥୁବା ଆମ୍ବୁଲାନ୍ସ ଗାଁ ପର୍ଯ୍ୟନ୍ତ ପହଞ୍ଚି ପାରିନଥୁଲା। ଡୁମୁଣୀନାଳ ନିକଟରେ କାଦୁଅ ପଚପଚ ରାସ୍ତା ଯୋଗୁଁ ଅଟକିଗଲା ଆମ୍ବୁଲାନ୍ସ। ପ୍ରାୟ ୮ କିଲୋ ମିଟର ରାସ୍ତା ଅତ୍ୟନ୍ତ ଖରାପ ହୋଇଥିବାରୁ ରାତିସାରା ମୃତଦେହକୁ ସେଠାରେ ରଖୀବାକୁ ପଡ଼ିଥିଲା।ଆଜି ସକାଳେ ପରିବାର ସଦସ୍ୟ ଓ ଗ୍ରାମବାସୀ ଖଟିଆରେ ମୃତଦେହକୁ ବୋହି ଦୀର୍ଘ ୮ କିଲୋମିଟର ରାସ୍ତା ଅତିକ୍ରମ କରି ଖମାରପଦର ଭାଟିଫାସ ଗାଁକୁ ନେଇଥିଲେ।
ବର୍ଷାଦିନେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ ହେବା ଯୋଗୁଁ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା ମଧ୍ୟ ପହଞ୍ଚିପାରୁନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ରାସ୍ତା ନିର୍ମାଣ ସହ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି ।





