ଜୟପୁର, ୨୩ ଅଗଷ୍ଟ (ହି.ସ.)- କୋରାପୁଟ ଜିଲାରେ ଗତ ୩ ମାସ ହେବ ମିଳୁନି ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା । ଫଳରେ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମମାନେ ଦୁର୍ଦ୍ଦିନ ମଧ୍ୟରେ ଗତି କରୁଥିବା ଦେଖିବାକୁ ମିଳିଛି । ପରିଣତ ବୟସରେ ପ୍ରତ୍ୟେକ ମାସରେ ମିଳୁଥିବା ଏହି ଭତ୍ତାକୁ ଆଶ୍ରାକରି ସେମାନେ କୈାଣସି ପ୍ରକାର ଚଳି ଯାଉଥିଲେ । କିନ୍ତୁ ଗତ ୩ ମାସ ହେବ ଭତ୍ତା ନମିଳିବାରୁ ଏହା ଉପରେ ଆଶ୍ରାକରି ଜୀବନ ବିତାଉଥିବା ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଭତ୍ତା ଟଙ୍କା ପାଇବା ନେଇ କୋରାପୁଟ ଜିଲାର କୋରାପୁଟ, ଜୟପୁର, ବୈପାରିଗୁଡା, ବୋରିଗୁମ୍ମା, କୁନ୍ଦୁରା, ଲମତାପୁଟ, କୋଟପାଡ ବ୍ଲକ କାର୍ଯ୍ୟ।ଳୟକୁ ଯାଇ ହିତାଧିକାରି ମାନେ ନୟାନ୍ତ ହେଲେଣି । ପ୍ରଶାସନ ତରଫରୁ ଆଧାର ସହ ବ୍ୟାଙ୍କ ପାସ ବୁକ ଲିଙ୍କ କଲେ ଭତ୍ତା ଟଙ୍କା ଆସିବ ବୋଲି କହୁଛନ୍ତି । କିନ୍ତୁ ବହୁ ହିତାଧିକାରି ଆଧାର ଲିଙ୍କ କରିବା ପରେ ମଧ୍ୟ ଭତ୍ତା ଟଙ୍କା ଆସିନଥିବା ଅଭିଯୋଗ କରିଛନ୍ତି । ଗତ ତିନି ମାସ ତଳେ ମଧ୍ୟ ୪ ମାସର ଭତ୍ତା ଟଙ୍କା ଆସିନଥିବା ବେଳେ ବର୍ତମାନ ବି ଭତ୍ତା ଟଙ୍କା ସମସ୍ୟା ରହିଛି ।
ରାଜ୍ୟ ଓ କେନ୍ଦ୍ର ସରକାର ସମାଜର ଅସହାୟ, ନିଃସ୍ୱ, ଦରିଦ୍ର ଓ ଭିନ୍ନକ୍ଷମମାନଙ୍କୁ ସାମାଜିକ ନିରାପତ୍ତା ଯୋଗାଇ ଦେଇ ସେମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ନିମନ୍ତେ ଏଭଳି ଯୋଜନାମାନ ପ୍ରଣୟନ କରିଛନ୍ତି । କିନ୍ତୁ ଏହିସବୁ ସାମାଜିକ ନିରାପତ୍ତା ଯୋଜନାର ସୁଫଳ ଯଦି ସେହିମାନଙ୍କୁ ନମିଳେ ଯାହାଙ୍କ ପାଇଁ ଏହା ପ୍ରଣୟନ ହୋଇଛି ତେବେ ଏତେସବୁ ଯୋଜନା କେବଳ ଯାହା କାଗଜ କଲମରେ ସୀମିତ ହେବା ବ୍ୟତୀତ ଆଉ କିଛି ମାନେ ନାହିଁ ବୋଲି ଭତ୍ତା ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କ ପରିବାର ସଦସ୍ୟ କହିଛନ୍ତି ।
ସରକାରଙ୍କ ଏଭଳି ଯୋଜନାରେ ଯୋଡି ହୋଇଥିବା ନିଃସ୍ୱ, ଅସହାୟ, ଅବହେଳିତ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମମାନେ ଯଦି ସେଥିରୁ ବଞ୍ଚିତ ହୁଅନ୍ତି ଓ ଏହା ମଧ୍ୟରେ କିଛି ଅଘଟଣ ଘଟେ ତେବେ ଏଭଳି ଯୋଜନାର ମୂଲ୍ୟ କ’ଣ ବୋଲି ହିତାଧିକାରୀମାନେ ପ୍ରଶ୍ନ କରିଛନ୍ତି । ଭତ୍ତା ଟଙ୍କା ଉପରେ ଭରସା କରି ନିଜ ପାଇଁ ଔଷଧ କିଣିବା ସହ ଅନ୍ୟ କାର୍ଯ୍ୟ କରିଥାନ୍ତି । ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମାସିକ ମାତ୍ର ଏକ ହଜାର ଟଙ୍କା, ୮୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମାତ୍ର ମାସିକ ସାଢେ ୩ ହଜାର ଟଙ୍କା ଯୋଗାଇବାରେ ବିଜେପି ସରକାର ବିଫଳ ହୋଇଛି ବୋଲି ବିରୋଧୀ ଦଳର ନେତା ମାନେ ଅଭିଯୋଗ କରିଛନ୍ତି ।
ଯେଉଁ ରାଜ୍ୟରେ ସରକାର ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ଅସହାୟମାନଙ୍କ ବିପଦରେ ଛିଡା ହୋଇପାରୁ ନାହାନ୍ତି ସେଠାରେ ସରକାର ଅନ୍ୟ ଦିଗ ପ୍ରତି କିପରି ଯତ୍ନବାନ ହେବେ । ଏହି ସରକାର କିପରି ଭିନ୍ନକ୍ଷମ ଲୋକମାନଙ୍କୁ ଭତ୍ତା ଦେବ ତାହା ଏବେ ଚିନ୍ତାର ବିଷୟ ଅଟେ । ତେଣୁ ରାଜ୍ୟ ସରକାର ତୁରନ୍ତ ଗରିବ, ବୃଦ୍ଧ ବୃ୍ଦ୍ଧା ହିତାଧିକାରିଙ୍କ ଭତ୍ତା ଟଙ୍କା ଦେବା ପାଇଁ ସାଧାରଣରେ ଦାବି ହୋଇଛି ।





