ଝାରସୁଗୁଡ଼ା, ୨୩ ଅଗଷ୍ଟ :- ବର୍ଷେ ହେଲାଣି ନୂଆ କୋଠାରେ ଝୁଲୁଛି ତାଲା। ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକ ସଦର ତହସିଲ ଅଫିସ ନିକଟରେ ଅବକାରୀ ଥାନା ପାଇଁ ନିର୍ମାଣ ହୋଇଥିବା ନୂତନ କୋଠା ଦୀର୍ଘଦିନ ହେଲା କାର୍ଯ୍ୟକ୍ଷମ ନ ହୋଇ ପଡ଼ିରହିଛି। ପ୍ରାୟ ବର୍ଷେ ତଳେ କୋଠା ନିର୍ମାଣ ଶେଷ ହୋଇଥିବା ବେଳେ ଏହାର ପାଚେରୀ, ପାଣି ଓ ବିଦ୍ୟୁତ୍ ବ୍ୟବସ୍ଥା ସହ ରଙ୍ଗମରା କାମ ମଧ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ତଥାପି ଥାନା କାର୍ଯ୍ୟକ୍ଷମ ହୋଇନଥିବାରୁ ନୂଆ କୋଠାର ମୁଖ୍ୟ ଫାଟକରେ ଏବେ ବି ବଡ଼ ତାଲା ଝୁଲୁଛି।
କୋଲାବିରା ବ୍ଲକ ଅଞ୍ଚଳରେ ଦୀର୍ଘଦିନ ଧରି ବେଆଇନ ମଦ କାରବାର ନେଇ ଅଭିଯୋଗ ହୋଇଆସୁଛି। ବିଭିନ୍ନ ଢାବା ଓ ହୋଟେଲରେ ଖୋଲାଖୋଲି ଭାବେ ମଦ ବିକ୍ରି ହେଉଥିବା ସହ ଅନେକ ସ୍ଥାନରେ କୁଚିଆ ମଦ ବେପାର ଚାଲୁଥିବା ଅଭିଯୋଗ ରହିଛି। ଏହାଛଡ଼ା ଜଙ୍ଗଲ ଅଞ୍ଚଳର ବିଭିନ୍ନ ଗାଁରେ ବେଆଇନ ଦେଶୀ ମଦ ପ୍ରସ୍ତୁତି ମଧ୍ୟ ଚାଲିଥିବା ନେଇ ଅଭିଯୋଗ ହେଉଛି। ଏପରି ପରିସ୍ଥିତିରେ କୋଲାବିରାରେ ଅବକାରୀ ଥାନା ଶୀଘ୍ର କାର୍ଯ୍ୟକ୍ଷମ କରାଗଲେ ଅଞ୍ଚଳରେ ବେଆଇନ ମଦ ଓ ନିଶା କାରବାର ଉପରେ ଅଧିକ ପ୍ରଭାବଶାଳୀ ଭାବେ ଅଙ୍କୁଶ ଲଗାଯାଇପାରିବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି। ନିର୍ମାଣ ସରି ଭିତ୍ତିଭୂମି ପ୍ରସ୍ତୁତ ଥିବା ସତ୍ତ୍ୱେ ଥାନା କାର୍ଯ୍ୟକ୍ଷମ ନ ହେବାକୁ ନେଇ ବୁଦ୍ଧିଜୀବୀ ମହଲରେ ମଧ୍ୟ ପ୍ରଶ୍ନ ଉଠିଛି। ଅବକାରୀ ବିଭାଗ ପକ୍ଷରୁ ନୂତନ ଥାନା କେବେଠାରୁ କାର୍ଯ୍ୟକ୍ଷମ ହେବ ଏବଂ ଏଥିପାଇଁ କେଉଁ ପ୍ରକ୍ରିୟା ବାକି ରହିଛି, ସେନେଇ ବିଭାଗୀୟ କର୍ତ୍ତୃପକ୍ଷ ସ୍ପଷ୍ଟ ସୂଚନା ଦେବା ସହ ଶୀଘ୍ର ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।





