ନୂଆପଡ଼ା, ୨୨ ଅଗଷ୍ଟ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ହୁଇଲ ଚେୟାରରେ ନେବା ସମୟରେ ସମସ୍ୟା ଦେଖାଦେଇଛି। ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା କେତେକ ହୁଇଲ ଚେୟାର ଭଙ୍ଗା ଅବସ୍ଥାରେ ଥିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଭଙ୍ଗା ହୁଇଲ ଚେୟାରରେ ରୋଗୀଙ୍କୁ ନେବା ସମୟରେ ଚେୟାର ଓଲଟି ପଡ଼ିବା ସହ ରୋଗୀ ତଳେ ପଡ଼ିଯିବାର ଆଶଙ୍କା ରହୁଥିବା ରୋଗୀଙ୍କ ସମ୍ପର୍କୀୟମାନେ କହିଛନ୍ତି। ଏଭଳି ଅବ୍ୟବସ୍ଥା ରୋଗୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବାରୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।
ଏ ସମ୍ପର୍କରେ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରବନ୍ଧକଙ୍କୁ ପଚାରିବାରୁ ଘଟଣା ଉପରେ ତୁରନ୍ତ ଧ୍ୟାନ ଦେଇ ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ପ୍ରକାଶ କରିଥିଲେ। ସ୍ୱାସ୍ଥ୍ୟ ସ୍ୱେଚ୍ଛାସେବୀମାନେ ମଧ୍ୟ ଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି। ରୋଗୀଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ନୂତନ ହୁଇଲ ଚେୟାର ଯୋଗାଇବା ସହ ଭଙ୍ଗା ହୁଇଲ ଚେୟାରଗୁଡ଼ିକର ତୁରନ୍ତ ମରାମତି କରିବାକୁ ସାଧାରଣରେ ଦାବି ହୋଇଛି।





