ଝାରସୁଗୁଡ଼ା, ୨୭ ଜୁନ୍ - ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅଞ୍ଚଳରେ ପୋଲିସ ଏକ ବଡ଼ ଗଞ୍ଜେଇ ଚାଲାଣକୁ ପଣ୍ଡ କରିଛି। ବିଜୁ ଏକ୍ସପ୍ରେସୱେର ଖେରୁଆଲ ଛକ ନିକଟରେ ଏକ କାର୍ ରୁ ୨୩୧ କିଲୋଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ଜଣେ ଆନ୍ତଃରାଜ୍ୟ ଗଞ୍ଜେଇ କାରବାରୀଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ବୌଦ୍ଧ ଜିଲ୍ଲାରୁ ଏକ କାର୍ ରେ ବିପୁଳ ପରିମାଣର ଗଞ୍ଜେଇ ଛତିଶଗଡ଼ର ରାୟଗଡ଼ ଅଭିମୁଖେ ଚାଲାଣ କରାଯାଉଥିଲା। ଶନିବାର ଭୋର ପ୍ରାୟ ୪ଟାରେ ଖେରୁଆଲ ଛକ ନିକଟରେ ପାଟ୍ରୋଲିଂ କରୁଥିବା ବଡ଼ମାଲ ପୋଲିସ ସନ୍ଦେହ ହେବାରୁ କାର୍ ଟିକୁ ଅଟକାଇବାକୁ ଚେଷ୍ଟା କରିଥିଲା। ପୋଲିସକୁ ଦେଖି ଚାଳକ ଦ୍ରୁତ ଗତିରେ ଖସି ପଳାଇବାକୁ ଉଦ୍ୟମ କରିବା ବେଳେ କାର୍ ଟି ନିୟନ୍ତ୍ରଣ ହରାଇ ରାସ୍ତାର ଡିଭାଇଡରରେ ପିଟି ହୋଇଥିଲା। ଦୁର୍ଘଟଣା ପରେ କାର୍ ରେ ଥିବା ଦୁଇ ଜଣ ଅଭିଯୁକ୍ତ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ପାଟ୍ରୋଲିଂ ଦଳ ଜଣକୁ କାବୁ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ଜଣେ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଥିଲେ। ଗିରଫ ଅଭିଯୁକ୍ତଙ୍କ ପରିଚୟ ମଧ୍ୟପ୍ରଦେଶର ବାସିନ୍ଦା ଅଙ୍କିତ ଶର୍ମା ବୋଲି ଜଣାପଡ଼ିଛି।
ଦୁର୍ଘଟଣାଗ୍ରସ୍ତ କାର୍ ଯାଞ୍ଚ ସମୟରେ ସେଥିରୁ ୨୩୧ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଏନେଇ ବଡ଼ମାଲ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଫେରାର ଅଭିଯୁକ୍ତଙ୍କ ସନ୍ଧାନ ସହ ଏହି ଚାଲାଣ ରାକେଟ୍ ରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ପ୍ରାଥମିକ ତଦନ୍ତରୁ ଏହି ରୁଟ୍ ରେ ପୂର୍ବରୁ ମଧ୍ୟ ଏହି ଯୁବକମାନେ ଗଞ୍ଜେଇ ଚାଲାଣ କରିଥିବା ସନ୍ଦେହ କରାଯାଉଛି।





