ଭୁବନେଶ୍ୱର , ୨୪ ଅଗଷ୍ଟ (ହି.ସ.)- ରାଜ୍ୟରେ ବୈଜ୍ଞାନିକ ଗବେଷଣା ଓ ଏ ସଂକ୍ରାନ୍ତୀୟ ବିଭିନ୍ନ ପ୍ରକଳ୍ପ ଉପରେ ରାଜ୍ୟ ସରକାର ଯଥେଷ୍ଟ ଧ୍ୟାନ ଦେବା ସହ ଯୁବ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନଭିତିକ ଅନିସନ୍ଧିଚ୍ଛୁ ଜାଗ୍ରତ କରିବା ଉପରେ କାର୍ଯ୍ୟ କରୁଛନ୍ତି । ରାଜ୍ୟରୁ ଉତ୍ପାଦିତ ବିଭିନ୍ନ ସାମଗ୍ରୀ ଦେଶର ହିତରେ ଯେଭଳି ଲାଗିବ, ସେଥି ପ୍ରତି ସରକାର ଯତ୍ନବାନ ଅଛନ୍ତି ବୋଲି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।
ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ରରେ ଆୟୋଜିତ ଜାତୀୟ ମହାକାଶ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ଓରସାକ ଦ୍ୱାରା ରାଜ୍ୟରେ ଚାଷଜମିଠାରୁ ଆରମ୍ଭ କରି ଭୂତଳ ଜଳ ଓ ଖଣିଜ ସମ୍ପଦର ଭଣ୍ଡାର ଓ ଏହାର ପରିମାଣ ସମ୍ପର୍କରେ ବିଭିନ୍ନ ତଥ୍ୟ ହାସଲ କରାଯାଇ ପାରୁଛି । ଆବଶ୍ୟକ ସ୍ଥଳେ ଅନେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ରାଜସ୍ୱ ସଞ୍ଚୟ କରାଯାଇ ପାରୁଛି। ଖାଲି ସେତିକି ନୁହେଁ, ରାଜ୍ୟର ଷ୍ଟାର୍ଟଅପ୍?ରୁ ଉତ୍ପାଦିତ ଡ୍ରୋନ୍ ଭଳି ବିଭିନ୍ନ ଉପକରଣ ଦେଶର ପ୍ରତିରକ୍ଷା ବ୍ୟବସ୍ଥାରେ ବ୍ୟବହାର ହେଉଥିବା ଅତ୍ୟନ୍ତ ଆନନ୍ଦର ବିଷୟ । ରାଜ୍ୟର ବୈଜ୍ଞାନିକମାନେ ଭବିଷ୍ୟତରେ ଏ କ୍ଷେତ୍ରରେ କାର୍ଯ୍ୟ କରି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଦେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ରାଜ୍ୟରେ ଏକ ବିଜ୍ଞାନ ଭବନ ଓ ଓରସାକର ନୂତନ କୋଠା ନିର୍ମାଣ ସହ ଜିଆଇଏସ ଲ୍ୟାବ ପ୍ରତିଷ୍ଠା ହେବା ନେଇ ଶ୍ରୀ ପାତ୍ର କହିଥିଲେ । ରାଜ୍ୟରେ ଉପଗ୍ରହ ଉତ୍ କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ସହ ପ୍ରାରମ୍ଭିକ ଆଲୋଚନା ହୋଇଥିବା ନେଇ ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ନିକଟରେ ଦିଲ୍ଲୀ ଗସ୍ତ ସମୟରେ କେନ୍ଦ୍ର ମନ୍ତ୍ରଙ୍କ ସହ ଏନେଇ ଆଲୋଚନା ହୋଇଥିବା ସେ କହିଛନ୍ତି ।
ଭୂତଳ ଜଳ ସୁରକ୍ଷା ସଂପର୍କିତ ଆଟ୍ଲାସ୍, ନିରନ୍ତର ବିକାଶ ଲକ୍ଷ୍ୟ ଓ ଓରସାକ୍ ଶିକ୍ଷାନବିଶ ପୋର୍ଟାଲ ଏବଂ ଓରସାକ ପ୍ରକଳ୍ପ ପୁସ୍ତିକା ଉନ୍ମୋଚିତ ହୋଇଥିଲା । ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।ଏହି ଅବସରରେ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯିବା ସହ ବିଭିନ୍ନ ଷ୍ଟାର୍ଟଅପ୍ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।.
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା


