
ବଲାଙ୍ଗୀର, ୨୪ ଅଗଷ୍ଟ : – ଆଜି ତୁରେକେଲା ପଂଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀ ଗୌରୱ ଶିୱାଜୀ ଇସଲୱାର ଉପସ୍ଥିତ ହୋଇ ବିଭିନ୍ନ ଅଂଚଳରୁ ଆସିଥିବା ନାଗରିକମାନଙ୍କ ସମସ୍ୟା ଓ ଅଭିଯୋଗଗୁଡ଼ିକୁ ପ୍ରତ୍ୟକ୍ଷ ଭାବେ ଶୁଣିଥିଲେ।
ଆଜିର ଶିବିରରେ ମୋଟ ୯୦ଟି ଅଭିଯୋଗ ପତ୍ର ପଞ୍ଜୀକୃତ ହୋଇଥିଲା; ସେଥିରୁ ୮୫ଟି ବ୍ୟକ୍ତିଗତ ଓ ୦୫ଟି ସାମୂହିକ/ଗ୍ରାମୀଣ ସମସ୍ୟା ସମ୍ବନ୍ଧୀୟ ଥିଲା। ଏଥିରୁ ୦୭ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଛି। ତୁରେକେଲା ବ୍ଲକ୍ ଓ ପାଶ୍ୱର୍ବତୀ ଗ୍ରାମାଂଚଳରୁ ଆସିଥିବା ଗ୍ରାମବାସୀମାନେ ନିଜର ରାସନ କାର୍ଡ଼, ଭତା, ଜମିଜମା ବିବାଦ, ପାନୀୟ ଜଳ, ବିଦ୍ୟୁତ ସମସ୍ୟା ଓ ଆଇନ-ଶୃଙ୍ଖଳା ସମ୍ବନ୍ଧୀୟ ଅଭିଯୋଗ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ପ୍ରତ୍ୟେକ ଅଭିଯୋଗର ଗମ୍ଭୀରତାକୁ ଅନୁଧ୍ୟାନ କରି, ଅବଶିଷ୍ଟ ଅଭିଯୋଗଗୁଡ଼ିକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ହସ୍ତାନ୍ତର କରି, ନିର୍ଦ୍ଦିଷ୍ଟ ସମୟସୀମାରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଯୁଗ୍ମ ଶୁଣାଣୀ ଶିବିରରେ ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ତୁରେକେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ, ପୂର୍ତ ବିଭାଗ, ସାମାଜିକ ସୁରକ୍ଷା ବିଭାଗ, କୃଷି ବିଭାଗ ଓ ଗ୍ରାମ୍ୟ ଯୋଗାଣ ବିଭାଗ ସହିତ ସମସ୍ତ ପ୍ରମୁଖ ବିଭାଗର ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।



