ଜୟପୁର, ୨୪ ଅଗଷ୍ଟ (ହି.ସ.)- କୋରାପୁଟ ଜିଲ୍ଲା ବୋରିଗୁମ୍ମା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି କୋରାପୁଟ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ମିଳିତ ଅଭିଯୋଗ ଶୁଣାଣିରେ ଜନସାଧାରଣଙ୍କ ପକ୍ଷରୁ ମୋଟ ୪୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୨୦ଟି ଗୋଷ୍ଠୀଗତ ଓ ୨୭ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ବିଭିନ୍ନ ସମସ୍ୟା ନେଇ ଅଭିଯୋଗକାରୀମାନେ ଜିଲ୍ଲାପାଳଙ୍କ ନିକଟରେ ନିଜ ଅଭିଯୋଗ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ଶ୍ରୀ ମହାଜନ ପ୍ରତ୍ୟେକ ଅଭିଯୋଗକାରୀଙ୍କ ସମସ୍ୟାକୁ ଗୁରୁତ୍ୱର ସହ ଶୁଣିବା ସହ ଅଭିଯୋଗଗୁଡ଼ିକର ତ୍ୱରିତ ଓ ନିୟମାନୁଯାୟୀ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ୩ଟି ଅଭିଯୋଗର ତତ୍କାଳ ସ୍ଥଳୀୟ ସମାଧାନ କରାଯାଇଥିଲା। ଅବଶିଷ୍ଟ ଅଭିଯୋଗଗୁଡ଼ିକର ତ୍ୱରିତ ନିଷ୍ପତ୍ତି ସହ ଅଭିଯୋଗକାରୀମାନଙ୍କୁ ନିୟମାନୁଯାୟୀ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଅଭିଯୋଗ ଶୁଣାଣିରେ କୋରାପୁଟ ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା, ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କୋରାପୁଟ ବେଣୁଧର ସବର, ଜିଲ୍ଲା ବନ ଅଧିକାରୀ ରାଜେଶ ପଟେଲ, ବୋରିଗୁମ୍ମା ବ୍ଲକ ଉନ୍ନୟନ ଅଧିକାରୀ ସୁକାନ୍ତ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି



