ଭୁବନେଶ୍ୱର, ୨୭ ଜୁନ । ନିଟ ପରୀକ୍ଷାରେ ଦୁର୍ନୀତି ଅଭିଯୋଗକୁ ନେଇ ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଯୁବ କଂଗ୍ରେସ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛି।
ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ଆରମ୍ଭ ହୋଇଥିବା ଏକ ରାଲି ମାଷ୍ଟର କ୍ୟାଣ୍ଟିନ୍ ଦେଇ ବିଜେପି କାର୍ଯ୍ୟାଳୟ ଦିଗକୁ ଅଗ୍ରସର ହେଉଥିଲା। ଏହି ସମୟରେ ପୋଲିସ ରାଲିକୁ ବାରିକେଡ୍ ଲଗାଇ ରୋକିଥିଲା। ଯୁବ କଂଗ୍ରେସ କର୍ମୀମାନେ ବାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିବାରୁ ପୋଲିସ ସେମାନଙ୍କୁ ଅଟକାଇ ଭ୍ୟାନ୍ରେ ଉଠାଇ ନେଇଥିଲା। ଘଟଣାସ୍ଥଳରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଥିଲା।
ଏହି ଅବସରରେ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର କହିଛନ୍ତି ଯେ, ବିଜେପି ସରକାର ଅଧୀନରେ ଦେଶର ଶିକ୍ଷା ବ୍ୟବସ୍ଥା ଗଭୀର ସଙ୍କଟରେ ପଡ଼ିଛି। ନିଟ ପରୀକ୍ଷା ପରିଚାଳନାରେ ଅନିୟମିତତା ଓ ଦୁର୍ନୀତି ହୋଇଥିବାରୁ ଲକ୍ଷାଧିକ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି। ତେଣୁ ଶିକ୍ଷାମନ୍ତ୍ରୀଙ୍କ ଦାୟିତ୍ୱହୀନତାକୁ ନେଇ ସେ ଇସ୍ତଫା ଦାବି କରିଛନ୍ତି।
ସେ ଆହୁରି କହିଛନ୍ତି ଯେ, କୋଟାରେ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟରେ ଛାତ୍ର ଓ ଅଭିଭାବକଙ୍କ ସମସ୍ୟା ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଛି। ନିଟ ଓ ସିବିଏସଇ ପରୀକ୍ଷା ପରିଚାଳନାରେ ଅନିୟମିତତା, ପ୍ରଶ୍ନପତ୍ର ପ୍ରଘାଟ ଏବଂ ମୂଲ୍ୟାୟନ ତ୍ରୁଟି ଭଳି ଅଭିଯୋଗ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ପ୍ରଭାବିତ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।
ଓଡ଼ିଶାର ପାଠ୍ୟପୁସ୍ତକରେ ଥିବା ତ୍ରୁଟି ଏବଂ ଶିକ୍ଷା ବ୍ୟବସ୍ଥାର ଅବନତିକୁ ନେଇ ମଧ୍ୟ ଯୁବ କଂଗ୍ରେସ ଆପତ୍ତି ଜଣାଇଛି। ଶିକ୍ଷା ବ୍ୟବସ୍ଥାର ସୁଧାର ଏବଂ ଶିକ୍ଷାମନ୍ତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଆନ୍ଦୋଳନ ଆହୁରି ତୀବ୍ର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଆଜିର ଆନ୍ଦୋଳନରେ ବହୁ ଯୁବ କଂଗ୍ରେସ ନେତା ଓ କର୍ମୀ ଅଂଶଗ୍ରହଣ କରିଥିଲେ।






