(FM Bharat):-- ଓବିସି ସଂରକ୍ଷଣକୁ ଓଡିଶା ସରକାର ସମ୍ପୂର୍ଣ ଅଣଦେଖା କରିବାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ପିସିସି ସଂଗଠନ ପ୍ରଭାରୀ ସନ୍ତୋଷ ସିଂ ସାଲୁଜା, ବରିଷ୍ଠ ମୁଖପାତ୍ର ସୋନାଲି ସାହୁ ଏବଂ ଡଃ ଦେବାଶିଷ ଭୂୟାଁ ସରକାର ଓବିସିଙ୍କ ପ୍ରତି କରୁଥିବା ଅନ୍ୟାୟକୁ ସମାଲୋଚନା କରିଥିଲେ l
ଶ୍ରୀ ସାଲୁଜା ସମ୍ମିଳନୀରେ କହିଛନ୍ତି ଯେ, ବିଜେପି ସରକାରର କ୍ରମକ୍ଷୟଷ୍ଣୁ ଲୋକପ୍ରିୟତାକୁ ବିଚାର କରି ସରକାର ଠିକ ସମୟରେ ପଞ୍ଚାୟତ ନିର୍ବାଚନ କରିବାକୁ ଚାହୁଁନାହାନ୍ତି, ଏଥିପାଇଁ ଜାଣିଶୁଣି ସଦ୍ୟ ପ୍ରକାଶିତ ସଂରକ୍ଷଣ ତାଲିକାରେ ଓବିସି ବର୍ଗକୁ ବାଦ ଦେଇଛନ୍ତି, ଯାହା ଫଳରେ କି ବିଚାରଳୟର ଆଶ୍ରୟ ନେଇ ରହିତାଦେଶ ଆଦେଶ ଆଣିବେ, ଯଦ୍ୱାରା ସରକାରଙ୍କୁ ଲୋକପ୍ରିୟତା ପରୀକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ଶ୍ରୀ ସାଲୁଜା ପ୍ରକାଶ କରିଛନ୍ତି l
ସମ୍ମିଳନୀରେ ଉପସ୍ଥିତ ମୁଖପାତ୍ର ଡଃ ଦେବାଶିଷ ଭୂୟାଁ ଏବଂ ଶ୍ରୀମତୀ ସୋନାଲି ସାହୁ କହିଛନ୍ତି ଯେ, ପ୍ରକାଶିତ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ନାହିଁ।
ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB) ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ କୌଣସି ସଂରକ୍ଷଣ ନାହିଁ।ତେଣୁ କଂଗ୍ରେସ ଦାବୀ କରୁଛି ଯେ,ତୃଣମୂଳ ସ୍ତରର ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକରେ ବହୁସଂଖ୍ୟକ ଜନସଂଖ୍ୟା ଏବେ ବି ଉପଯୁକ୍ତ ପ୍ରତିନିଧିତ୍ୱରୁ ବଞ୍ଚିତ ଅଛନ୍ତି।
ସାମ୍ବିଧାନିକ ବ୍ୟବସ୍ଥା ଏବଂ ସର୍ବୋଚ୍ଚ ନ୍ୟାୟାଳୟଙ୍କ (ସୁପ୍ରିମକୋର୍ଟ) ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବାରେ ବିଳମ୍ବ ଯୋଗୁଁ ପଛୁଆ ବର୍ଗଙ୍କ ରାଜନୈତିକ ସଶକ୍ତୀକରଣ ବାଧାପ୍ରାପ୍ତ ହୋଇଛି।ତେଣୁ ସୁପାରିଶ ଗୁଡିକୁ ସୁପ୍ରିମକୋର୍ଟଙ୍କ 'ଟ୍ରିପଲ୍ ଟେଷ୍ଟ' (ତ୍ରିସ୍ତରୀୟ ମାପଦଣ୍ଡ) ଅନୁଯାୟୀ ତୁରନ୍ତ ଏକ ସ୍ୱତନ୍ତ୍ର କମିଶନ ଗଠନ କରାଯାଉ।
ପଛୁଆ ବର୍ଗଙ୍କ ରାଜନୈତିକ ପ୍ରତିନିଧିତ୍ୱ ଉପରେ ଏକ ବୈଜ୍ଞାନିକ ତଥା ପ୍ରାୟୋଗିକ ଅନୁଧ୍ୟାନ କରାଯାଉ। କମିଶନଙ୍କ ସୁପାରିଶ ଆଧାରରେ ପଞ୍ଚାୟତ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଉ।
ଆଗାମୀ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ନିର୍ବାଚନ ପୂର୍ବରୁ ଏହାର ସମୟୋଚିତ କାର୍ଯ୍ୟକାରିତା ସୁନିଶ୍ଚିତ କରାଯାଉ। ସମାଜର ସବୁ ବର୍ଗଙ୍କୁ ସମାନ ରାଜନୈତିକ ଭାଗିଦାରୀ ପ୍ରଦାନ କରି ଏକ ସମାବେଶୀ ଶାସନ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରାଯାଉ।
ସ୍ଥାନୀୟ ସଂସ୍ଥା ନିର୍ବାଚନରେ ୫୪ ପ୍ରତିଶତ ଜନସଂଖ୍ୟାଙ୍କୁ ରାଜନୈତିକ ସଂରକ୍ଷଣ ନଦେଇ ଓଡ଼ିଶା ସାମ୍ବିଧାନିକ ସାମାଜିକ ନ୍ୟାୟ ଏବଂ ସମାବେଶୀ ଗଣତନ୍ତ୍ରର ସ୍ୱପ୍ନକୁ ସାକାର କରିପାରିବ ନାହିଁ। ସମ୍ବିଧାନର ଧାରା ୨୪୩D(୬) ଓ ୨୪୩T(୬) ଏବଂ ସୁପ୍ରିମକୋର୍ଟଙ୍କ 'ଟ୍ରିପଲ୍ ଟେଷ୍ଟ' ଅନୁଯାୟୀ ପଛୁଆ ବର୍ଗଙ୍କୁ ସଂରକ୍ଷଣ ପ୍ରଦାନ କରିବା ନିତାନ୍ତ ଜରୁରୀ। ଏହାଦ୍ୱାରା ଉପଯୁକ୍ତ ପ୍ରତିନିଧିତ୍ୱ ସୁନିଶ୍ଚିତ ହେବ, ତୃଣମୂଳ ଗଣତନ୍ତ୍ର ସୁଦୃଢ଼ ହେବ ଏବଂ ସମାନତା ତଥା ନ୍ୟାୟର ସାମ୍ବିଧାନିକ ପ୍ରତିଶ୍ରୁତି ପୂରଣ ହୋଇପାରିବ।
ରାଜନୈତିକ ପ୍ରତିନିଧିତ୍ୱ କେବଳ ଏକ ସାମ୍ବିଧାନିକ ବିକଳ୍ପ ନୁହେଁ—ଏହା ହେଉଛି ସାମାଜିକ ନ୍ୟାୟର ମୂଳଦୁଆ। ସ୍ଥାନୀୟ ଶାସନରେ ଯେତେବେଳେ ୫୪ ପ୍ରତିଶତ ଜନସଂଖ୍ୟାଙ୍କର କୌଣସି ସୁନିଶ୍ଚିତ ସ୍ୱର ନଥାଏ, ସେତେବେଳେ ଏକ ଗଣତନ୍ତ୍ର ପ୍ରକୃତ ପ୍ରତିନିଧିତ୍ୱମୂଳକ ହୋଇପାରିବ ନାହିଁ ବୋଲି ପ୍ରକାଶ କରିଛନ୍ତି l
ପୁଣି କହିଛନ୍ତି ଯେ, କଂଗ୍ରେସର ଦାବୀ ହେଲା ତୁରନ୍ତ ଓବିସି କମିଶନ ନିଯୁକ୍ତି କରନ୍ତୁ l ପୌରାଞ୍ଚଳ ପାଇଁ ସଙ୍ଗରକ୍ଷିତ ନୋଟିଫିକେସନକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ l ରାଜ୍ୟରେ ଓବିସିଙ୍କ ପାଇଁ ସଂରକ୍ଷିତ ସରକାରୀ 22 ହଜାର ପଦବୀକୁ ତୁରନ୍ତ ପୂରଣ କରନ୍ତୁ l ପ୍ରଥମେ ସଂରକ୍ଷଣ ପରେ ନିର୍ବାଚନ କରନ୍ତୁ ବୋଲି ମୁଖପାତ୍ର ଦ୍ବୟ ପ୍ରକାଶ କରିଛନ୍ତି l






