ସୁବର୍ଣପୁର : ଦୀର୍ଘ ଦିନର ନ୍ୟାୟସଙ୍ଗତ ଦାବି ପୂରଣ ନ ହେବାରୁ ଡୁଙ୍ଗୁରିପାଲି ବ୍ଲକର ସମସ୍ତ ଯୋଗାଣ ସହାୟକ ଜୁଲାଇ ୧୦ ତାରିଖ ଠାରୁ ସାମୂହିକ ଛୁଟିରେ ଯାଇଛନ୍ତି। ଏହି ପରିପ୍ରେକ୍ଷୀରେ ସେମାନେ ଡୁଙ୍ଗୁରିପାଲି ବିଡିଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରି ଜୁଲାଇ ଓ ଅଗଷ୍ଟ–୨୦୨୬ ମାସର ଖାଦ୍ୟଶସ୍ୟ ବଣ୍ଟନ କାର୍ଯ୍ୟ କରିବା ପାଇଁ କୌଣସି ପ୍ରକାରର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଚାପ ପ୍ରୟୋଗ ନ କରିବାକୁ ଅନୁରୋଧ କରିଛନ୍ତି।
ଜୋଗାଣ ସହାୟକମାନଙ୍କ ଦାବୀପତ୍ର ଆନୁସାରେ, ଗତ ୧୬ ଜୁନରେ ରାଜ୍ୟ ସରକାରଙ୍କୁ ଲିଖିତ ନୋଟିସ ଦେଇ ୧୦ ଜୁଲାଇ ସୁଦ୍ଧା ଦାବି ପୂରଣ ନ ହେଲେ ସାମୂହିକ ଛୁଟିରେ ଯିବା ନେଇ ପୂର୍ବରୁ ଅବଗତ କରାଯାଇଥିଲା। ସେହି ନୋଟିସ ପରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମଧ୍ୟ ଏହି ନିଷ୍ପତ୍ତି ସର୍ବସାଧାରଣଙ୍କୁ ଜଣାଯାଇଥିଲା। ସେମାନେ କହିଛନ୍ତି ଯେ, ସରକାରଙ୍କ ନୂତନ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାକୁ ସମ୍ମାନ ଜଣାଇ ସାର୍ବଜନୀନ ସ୍ୱାର୍ଥରେ ସହଯୋଗ କରିଥିଲେ ମଧ୍ୟ ସେମାନଙ୍କ ଦାବିର ସମାଧାନ କରାଯାଇନାହିଁ। ଏପରି ସ୍ଥିତିରେ ଜୁଲାଇ ଓ ଅଗଷ୍ଟ ମାସର ଖାଦ୍ୟଶସ୍ୟ ବଣ୍ଟନ କାର୍ଯ୍ୟ କରିବା ସମ୍ଭବ ନୁହେଁ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି।
ଦାବୀପତ୍ରରେ ପ୍ରଶାସନକୁ ଅନୁରୋଧ କରାଯାଇଛି ଯେ, ହିତାଧିକାରୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ପୂର୍ବରୁ ବିକଳ୍ପ ପ୍ରଶାସନିକ ବ୍ୟବସ୍ଥା କରାଯାଉ ଏବଂ କୌଣସି ଯୋଗାଣ ସହାୟକଙ୍କ ଉପରେ ଖାଦ୍ୟଶସ୍ୟ ବଣ୍ଟନ କାର୍ଯ୍ୟ ପାଇଁ ଚାପ କିମ୍ବା ବଳପ୍ରୟୋଗ କରାନଯାଉ।
ଉକ୍ତ ଦାବୀପତ୍ରର ନକଲ ମୁଖ୍ୟମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ପ୍ରମୁଖ ଶାସନ ସଚିବଙ୍କ ନିକଟକୁ ମଧ୍ୟ ପ୍ରେରଣ କରାଯାଇଛି। ଦାବୀପତ୍ର ପ୍ରଦାନ କରିବା ସମୟରେ ଯୋଗାଣ ସହାୟକ ସଂଘ ର ସଦସ୍ୟ ଦେବେନ୍ଦ୍ର ଖମାରୀ, ବ୍ୟାସଦେବ ପଧାନ, ହେମନ୍ତ ପଧାନ, ବନମାଳି ଗଡତ୍ୟା, ଗିରି ମେହେର, ପିଣ୍ଟୁ ସା, ସୁମନ୍ତ ପଧାନ, ଶ୍ରୀକାନ୍ତ ପଧାନ, ଜଗମୋହନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।






