ସମ୍ବଲପୁର :ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ଛାଡ଼ିବା ପରେ ଜିଲ୍ଲା ସଦରମହକୁମା ସ୍ଥିତ ଚାଉଁରପୁର ବ୍ରିଜ୍ ଉପରୁ ଏହି ବନ୍ୟାଜଳ ଦେଖିବା ପାଇଁ ସମ୍ପୂର୍ଣ୍ଣ କୋଳାହଳ ହୋଇଉଠିଛି । ମାତ୍ର ଶନିବାର ରାତି ସାଢ଼େ ୧୦ ବେଳେ ଜଣେ ୧୪ ବର୍ଷିୟା ନାବାଳିକା ମହାନଦୀକୁ ଡେଇଁ ପଡ଼ିବା ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣା ପରେ ଅଗ୍ନିଶମ ବାହିନୀ ଓ ପ୍ରଶାସନ ପକ୍ଷରୁ ନଦୀରେ ଖୋଜାଖୋଜି ଜାରି ରହିଥିଲେ ମଧ୍ୟ ଏହି ଖବର ଲେଖାଯିବା ସୁଦ୍ଧା ତଥା ଘଟଣାର ୨୦ ଘଣ୍ଟା ପରେବି ନାବାଳିକାର କୌଣସି ସନ୍ଧାନ ମିଳିନାହିଁ।
ସୂଚନା ଅନୁସାରେ, ଘଟଣା ସମୟରେ ନାବାଳିକା ଜଣେ ନାବାଳକଙ୍କ ସହ ବ୍ରିଜ୍ ଉପରେ ବସିଥିଲେ। ଉଭୟଙ୍କ ମଧ୍ୟରେ କୌଣସି କଥା କାଟାକାଟି ହେବା ପରେ ନାବାଳିକା ଜଣଙ୍କ ହଠାତ୍ ମହାନଦୀକୁ ଡେଇଁ ପଡ଼ିଥିବା ଚର୍ଚ୍ଚା ହେଉଛି। ପୋଲିସ ସମ୍ପୃକ୍ତ ନାବାଳକକୁ ଅଟକ ରଖି ପଚରାଉଚରା କରୁଛି ଏବଂ ଘଟଣାର ପ୍ରକୃତ କାରଣ ଖୋଜୁଛି।
ପରିବାର ଲୋକଙ୍କ କହିବା ଅନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୮ଟାରୁ ୯ଟା ମଧ୍ୟରେ ନାବାଳିକା ମା'ଙ୍କୁ ଜଣାଇ ଜଣେ ପଡୋଶୀ ସମ୍ପର୍କୀୟଙ୍କ ଘରକୁ ଯାଉଛି ବୋଲି ଘରୁ ବାହାରିଥିଲେ। କିନ୍ତୁ କିଛି ସମୟ ପରେ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ସ୍ଥାନୀୟ ଲୋକଙ୍କଠାରୁ ଚାଉଁରପୁର ବ୍ରିଜ୍ରେ ସେ ଜଣେ ନାବାଳକଙ୍କ ସହ ଥିବା ସୂଚନା ପାଇଥିଲେ।
ପରିବାର ସଦସ୍ୟମାନେ ପ୍ରଶାସନକୁ ଯଥାଶୀଘ୍ର ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଥିଲେ। ସେମାନଙ୍କ କହିବା ଅନୁସାରେ, ନଦୀର ପ୍ରବଳ ସ୍ରୋତ ଯୋଗୁଁ ଖୋଜାଖୋଜିରେ ଅସୁବିଧା ହେଉଛି, ତଥାପି ସମସ୍ତ ସମ୍ଭାବ୍ୟ ପ୍ରୟାସ କରାଯାଉ।
ଏପଟେ ବାରମ୍ବାର ଚାଉଁରପୁର ବ୍ରିଜ୍ରୁ ଏପରି ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକେ ଉଦବେଗ ପ୍ରକାଶ କରିବା ସହ ବ୍ରିଜ୍ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଦାବି କରିଛନ୍ତି। ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ନାବାଳିକା ଜଣଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବିଭାଗ ସହ ସମ୍ବଲପୁର ପୋଲିସ ପ୍ରଶାସନ ପକ୍ଷରୁ ପୋଲିସ ଡ୍ରୋନ୍ ମହାନଦୀର ଚାପାଚାପା ଅନୁଧ୍ୟାନ ଜାରି ରଖିଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁରାକ୍ ମିଳି ପାରିନାହି ।




