ପାଳଲହଡା,୨୪/୭ ; ପାଳଲହଡାରେ ପବିତ୍ର ଶ୍ରୀଜୀଉଙ୍କର ବାହୁଡା ଯାତ୍ରା ଶୁକ୍ରବାର ମହା ସମାରୋହରେ ପାଳିତ ହୋଇ ଯାଇଛି। ଆଜି ପବିତ୍ର ବାହୁଡା ଯାତ୍ରାରେ ପୁଣିଥରେ ଭକ୍ତ-ଓ ରଥାରୂଢ ତିନି ଭଗବାନଙ୍କ ଅପୂର୍ବ ମିଳନ ଦେଖିବାକୁ ମିଳିଥିବା ବେଳେ ବଡ଼ଦାଣ୍ଡ ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି,ଶଙ୍ଖ, ବାଦ୍ୟ,କୀର୍ତ୍ତନ କୋଳାହଳରେ ପୂରିଉଠିଥିଲା। ବାହୁଡ଼ା ଯାତ୍ରା କୁ ଆକର୍ଷଣୀୟ କରିବା ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ ଥିଲା।
ଶ୍ରୀଗୁଣ୍ଡିଚା ମନ୍ଦିରରେ ତିନି ଠାକୁରଙ୍କ ନୀତି କାନ୍ତି ଯଥାରୀତି ସମ୍ପନ୍ନ କରାଯିବା ପରେ ପହଣ୍ଡି ବିଜେ କରାଯାଇ ଥିଲା।।ପାଳଲହଡା ଯୁବରାଜ ବାଲକ୍ରିଷ୍ଣ ପାଳ ରଥରେ ଛେରାପହଁରା କରିଥିଲେ। ଏଥର ମଧ୍ୟ ବାହୁଡ଼ାରେ ପ୍ରାୟ ୨୦ ହଜାର ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଯୋଗଦେଇ ରଥାରୂଢ ଠାକୁରଙ୍କୁ ଦର୍ଶନ କରିଥିଲେ।ପାଳଲହଡା ବିଧାୟକ ଅଶୋକ କୁମାର ମହାନ୍ତି , ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ରବିନ୍ଦ୍ର କୁମାର ପଟେଲ ପ୍ରମୁଖ ଉପସ୍ଥିତ ରହି ଠାକୁରଙ୍କ ବାହୁଡା ଯାତ୍ରା ନୀତିକାନ୍ତି ତଦାରଖ କରିବା ସହିତ ଅଞ୍ଚଳବାସୀଙ୍କ ଶୁଭକାମନା କରିଥିଲେ।
ସୁନାବେଶ ପରେ ତିନି ଠାକୁର ମନ୍ଦିର ଭିତରକୁ ଆଗମନ କରିବେ। ବାହୁଡ଼ା ଯାତ୍ରା କୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇ ଥିଲା। ପାଳଲହଡା ଜଗନ୍ନାଥ ଯୁବ ପରିଷଦ ପକ୍ଷରୁ ସମସ୍ତ ଭକ୍ତ ମାନଙ୍କ ନିମନ୍ତେ ଅନ୍ନପ୍ରସାଦ ବଣ୍ଟନ କରାଯାଇ ଥିଲା। ଉପଜିଲାପାଳ ଶ୍ରୀ ପଟେଲ. ଡେପୁଟି କଲେକ୍ଟର ବିଦ୍ୟୁସ୍ମିତା ସାହୁ ପ୍ରମୁଖ ଅନ୍ନ ପ୍ରସାଦ ବଣ୍ଟନର ଶୁଭାରମ୍ଭ କରି ଥିଲେ। ସେହି ଭଳି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ. ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଭକ୍ତ ମାନଙ୍କ ପାଇଁ ଜଳଛତ୍ର ର ବ୍ୟବସ୍ଥା କରାଯାଇ ଥିଲା।



