ଭୁବନେଶ୍ୱର : - ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ରୁଜୁ ହୋଇଥିବା ଏକ ଲାଂଚ ନେବା ମାମଲାରେ ଭୁବନେଶ୍ୱରସ୍ଥିତ ଜିଲ୍ଲା ଶ୍ରମ ଅଧିକାରୀ (ଡିଏଲଓ) କାର୍ଯ୍ୟାଳୟର ଅବସରପ୍ରାପ୍ତ ଡିଲିଂ ଆସିଷ୍ଟାଣ୍ଟ ଗୌରାଙ୍ଗ ମାର୍ଥୀଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଦୋଷୀ ସାବ୍ୟସ୍ତ କରି ଏକ ବର୍ଷର ସାଧାରଣ କାରାଦଣ୍ଡ ସହ ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି।
ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଶ୍ରମ ଲାଇସେନ୍ସର ନବୀକରଣ ସମ୍ବନ୍ଧୀୟ ଫାଇଲ୍ ପ୍ରକ୍ରିୟାକରଣ ପାଇଁ ଅଭିଯୋଗକାରୀଙ୍କଠାରୁ ଲାଂଚ ଦାବି ଓ ଗ୍ରହଣ କରିଥିବା ଅଭିଯୋଗରେ ଗୌରାଙ୍ଗ ମାର୍ଥୀଙ୍କ ବିରୋଧରେ ଭ୍ରଷ୍ଟାଚାର ନିବାରଣ ଆଇନ, ୧୯୮୮ର ଧାରା ୧୩(୨) ସହ ପଠିତ ଧାରା ୧୩(୧)(ଡି) ଏବଂ ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ତଦନ୍ତ ପରେ ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା।
ମାମଲାର ଶୁଣାଣି ପରେ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଆଜି ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଏକ ବର୍ଷର ସାଧାରଣ କାରାଦଣ୍ଡ ଏବଂ ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି।
ଦୋଷୀ ସାବ୍ୟସ୍ତ ହେବା ପରେ ଗୌରାଙ୍ଗ ମାର୍ଥୀଙ୍କ ପେନ୍ସନ ବନ୍ଦ କରିବା ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟରେ ଓଡ଼ିଶା ଭିଜିଲାନ୍ସ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ସୂଚନା ଦେଇଛି।
ଏହି ମାମଲାର ତଦନ୍ତ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନର ତତ୍କାଳୀନ ଇନ୍ସପେକ୍ଟର ହରପ୍ରିୟା ନାୟକ କରିଥିବା ବେଳେ, ଅଭିଯୋଗ ପକ୍ଷରୁ ସ୍ପେଶାଲ ପିପି ସଲିଳ କୁମାର ପ୍ରଧାନ ମାମଲା ପରିଚାଳନା କରିଥିଲେ।






