ସମ୍ବଲପୁର, ୯ ଜୁଲାଇ- ହୀରାକୁଦ ଜଳଭଣ୍ଡାରରୁ ଆଜି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ପରମ୍ପରା ଅନୁଯାୟୀ ପୂଜାବିଧି ଓ ସଂକୀର୍ତନ ପରେ ଦିନ ୧୦ଟାରେ ବାଜିଛି ସତର୍କ ସୂଚନାର ସାଇରନ୍ । ଏହାପରେ ପୂର୍ବାହ୍ନ ୧୧ଟାରେ ବିଧିବଦ୍ଧ ଭାବେ ହୀରାକୁଦ ବନ୍ଧର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ ଆରମ୍ଭ ହେବ । ଏହାପରେ ଆଜି ଆଉ ତିନୋଟି ସ୍ଲୁଇସ୍ ଗେଟ୍ ମଧ୍ୟ ଖୋଲାଯିବ ବୋଲି ହୀରାକୁଦ ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ ପ୍ରତାପ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସନ ଯୋଜନା ରହିଛି । ଆଜି ବନ୍ୟାଜଳ ଛଡ଼ାଯିବା ନେଇ ହୀରାକୁଦ ଜଳଭଣ୍ଡାର କର୍ତୃପକ୍ଷ ମହାନଦୀ ଅବବାହିକାର ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି । ଗେଟ୍ ଖୋଲିବା ସମୟରେ ମହାନଦୀ ଭିତରକୁ କେହି ଯେପରି ନଯାଆନ୍ତି ସେଥିପାଇଁ ମଧ୍ୟ ସତର୍କ କରାଯାଇଛି । ହୀରାକୁଦ ଡ୍ୟାମରୁ ବନ୍ୟାଜଳ ଛଡ଼ା ଗଲେ ମହାନଦୀ ଓ ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି । ଜଳଭଣ୍ଡାର ଓ ପାର୍ଶ୍ୱବର୍ତୀ ଅଂଚଳକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି ।
ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳ ପତନ ୬୧୪.୯୩ ଫୁଟ୍ ରହିଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୪୧ ହଜାର ୪୩୮ କ୍ୟୁସେକ୍ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ବିଭିନ୍ନ ପାୱାର ଚେନେଲ, ଶିଳ୍ପ ବ୍ୟବହାର, କେନାଲ ଦେଇ ୨୯ ହଜାର ୯୪ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି ।






