ନୂଆଦିଲ୍ଲୀ, ୨୭ ଜୁନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ପୂର୍ବ ଆଫ୍ରିକାର ଦ୍ୱୀପରାଷ୍ଟ୍ର ସେସେଲ୍ସ ଗସ୍ତ ପାଇଁ ନୂଆଦିଲ୍ଲୀରୁ ଯାତ୍ରା ଆରମ୍ଭ କରିଛନ୍ତି । ସେ ଜୁନ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ସରକାରୀ ଗସ୍ତରେ ସେସେଲ୍ସରେ ଅବସ୍ଥାନ କରିବେ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁସାରେ, ସେସେଲ୍ସର ରାଷ୍ଟ୍ରପତି ଡ. ପାଟ୍ରିକ୍ ହର୍ମିନିଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଆୟୋଜିତ ହେଉଛି। ସେସେଲ୍ସ ନିଜର ଜାତୀୟ ଦିବସର ସ୍ୱର୍ଣ୍ଣ ଜୟନ୍ତୀ (୫୦ତମ ବାର୍ଷିକୀ) ପାଳନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହା ପୂର୍ବରୁ ସେ ୨୦୧୫ ମସିହାରେ ସେସେଲ୍ସ ଗସ୍ତ କରିଥିଲେ।
ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସେସେଲ୍ସର ରାଷ୍ଟ୍ରପତି ଡ. ପାଟ୍ରିକ୍ ହର୍ମିନିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଏହି ବୈଠକରେ ଉଭୟ ନେତା ଭାରତ-ସେସେଲ୍ସ ସହଯୋଗର ସମସ୍ତ କ୍ଷେତ୍ରର ସମୀକ୍ଷା କରିବା ସହ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ।
ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସେସେଲ୍ସର ନ୍ୟାସନାଲ୍ ଆସେମ୍ବଲି କୁ ମଧ୍ୟ ସମ୍ବୋଧିତ କରିବେ। ଏହି ସମ୍ମାନ ପାଇବାରେ ସେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହେବେ। ଏହା ସହିତ ସେ ସେସେଲ୍ସରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହ ମଧ୍ୟ ସାକ୍ଷାତ କରିବେ। ଭାରତ ଓ ସେସେଲ୍ସ ମଧ୍ୟରେ ଦୃଢ଼ ବନ୍ଧୁତ୍ୱ, ସାମୁଦ୍ରିକ ସହଯୋଗ ଏବଂ ଦ୍ୱିପାକ୍ଷିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ଦିଗରେ ଏହି ଗସ୍ତକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ପ୍ରକାଶିତ ବିବୃତ୍ତି ଅନୁସାରେ, ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସେସେଲ୍ସ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଡ଼ୋଶୀ ଦେଶ ଏବଂ ‘ମହାସାଗର’ ଦୃଷ୍ଟିକୋଣ ତଥା ବିଶ୍ୱ ଦକ୍ଷିଣ ପ୍ରତି ଆମର ସାମୂହିକ ପ୍ରତିବଦ୍ଧତାର ଏକ ପ୍ରମୁଖ ଅଂଶୀଦାର। ସେ କହିଛନ୍ତି ଯେ, ଚଳିତ ବର୍ଷ ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୫୦ତମ ବାର୍ଷିକୀ ପାଳନ କରାଯାଉଛି, ଯାହା ପରସ୍ପର ବିଶ୍ୱାସ, ସାଧାରଣ ଗଣତାନ୍ତ୍ରିକ ମୂଲ୍ୟବୋଧ, ବିବିଧତା ପ୍ରତି ସମ୍ମାନ ଏବଂ ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ଥିବା ଆତ୍ମୀୟ ସମ୍ପର୍କ ଉପରେ ଆଧାରିତ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଫେବୃଆରୀ ୨୦୨୬ରେ ରାଷ୍ଟ୍ରପତି ଡ. ପାଟ୍ରିକ୍ ହର୍ମିନିଙ୍କ ସଫଳ ଭାରତ ଗସ୍ତ ପରେ ଦୁଇ ଦେଶର ଚିରସ୍ଥାୟୀ ବନ୍ଧୁତ୍ୱକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ହେବାକୁ ଥିବା ଆଲୋଚନାକୁ ନେଇ ସେ ଆଶାବାଦୀ ଅଛନ୍ତି। ଉଭୟ ଦେଶ ନିଜ ନିଜ ନାଗରିକଙ୍କ କଲ୍ୟାଣ, ଉନ୍ନତି ଏବଂ ହିନ୍ଦ ମହାସାଗର ଅଞ୍ଚଳରେ ସୁରକ୍ଷା ଓ ସମୃଦ୍ଧି ବୃଦ୍ଧି ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ।
ସେ ଆହୁରି
କହିଛନ୍ତି ଯେ, ଏହି ଗସ୍ତ ସମୟରେ ସେସେଲ୍ସର
ଜାତୀୟ ବିଧାନସଭାକୁ ସମ୍ବୋଧିତ କରିବାର ସୁଯୋଗ ମିଳିବା ତାଙ୍କ ପାଇଁ ଏକ ଐତିହାସିକ ଗୌରବର
ବିଷୟ। ଏହା ଉଭୟ ଦେଶ ମଧ୍ୟରେ ଥିବା ଦୃଢ଼ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସଂସଦୀୟ ପରମ୍ପରାର
ପ୍ରତିଫଳନ ବୋଲି ସେ ଉଲ୍ଲେଖ କରିଛନ୍ତି।






